Unknown

 

 

 

 

 

 

 

 

 

ଦୃଷ୍ଟାନ୍ତ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବିଙ୍କର ଏହା ଏକ ଅଭିନବ ଚଉତିଶା । ନାନା ପ୍ରକାର ଦୃଷ୍ଟାନ୍ତ ପ୍ରଦାନ କରି କବି ଏହା ରଚନା କରିଥିବାରୁ ଏହାର ନାମକରଣ ଏପରି କରାଯାଇଛି । ରାଧାଙ୍କ ପ୍ରତି କୃଷ୍ଣଙ୍କ ହୃଦୟରେ ଥିବା ଅନାବିଳ ପ୍ରେମଭାବ ଓ କୃଷ୍ଣଗତା ପ୍ରାଣ ରାଧାଙ୍କ ପ୍ରେମବେଦନା, ବିରହ ଏଥିରେ ସ୍ଥାନ ପାଇଛି । ରାଧାଙ୍କ ପ୍ରେମରେ ପାଗଳ କୃଷ୍ଣ । ବାରମ୍ବାର ତାଙ୍କୁ ଝୁରିଛନ୍ତି । ଦୂତୀକୁ କହିଛନ୍ତି ନିଜ ଅନ୍ତରର ରାଧାଙ୍କ ପ୍ରତି ଥିବା ପ୍ରେମ ଭାଷା । ରାଧାକୃଷ୍ଣଙ୍କ ପ୍ରେମ ଓ ମିଳନର ଚିତ୍ର ଚଉତିଶାଟିର ପ୍ରାଣ ।)

 

କମଳ ନୟନ ଦୂତୀ କର ଧରି କହନ୍ତି ବିନୟ କରି

 

କଉଁ ଦୋଷକୁ ରୋଷ ମୋ ବିଷୟରେ କରି ଅଛି ଜୀବେଶ୍ୱରୀ

 

କାରଣ ନଥାଇ ପ୍ରଭୁ କୋପ କଲେ ତହିଁକି ନାହିଁ ଉପାୟେ

 

କେବଳ ଜାଣିଲି କୁମତି ଗୁଆଁରେ କବିତା ବୁଝିଲା ପ୍ରାୟେ

।୧।

ଖୀନ ଉଦରୀ ଖଞ୍ଜରୀଟ ନୟନୀ ସେନେହ ବଜ୍ର ସମାନ

 

ଖଳ ପୀରତି ମେଦା ଛାଇ ପରାୟେ କ୍ଷଣକେ କରୁଛି ଆଣି

 

କ୍ଷଣେ କ୍ଷଣକେ ତା ସୁଖ ସୁମରିତ ଲାଗୁଅଛି ମହାଭୟେ

 

ଖୋଜିଲେତ ମୋତେ ବୁଦ୍ଧି ଦିଶୁନାହିଁ ପଢ଼ିତା ପାଠ ପରାୟେ

।୨।

ଗଜ ଗମନୀ ମୋର ଠାରେ ଏ ମାନ ଦିନେ ହେଁ କରି ନଥିଲ

 

ଶୁଣୁଛି ମୋ ମନେ କେ ଅବା ତାହାକୁ କଉଁ ଉପଦେଶ ଦେଲ

 

ଗୁପତ କରି ପ୍ରିୟ ସଖୀ ଏତେ ହେଁ କହିବୁ ପିକଭାଷୀକି

 

ଶୁଣ ଗଉରୀ ହୋଇତାର ସେନେହ ଗିରି ନଦୀ ପରା ସଖୀ

।୩।

ଘନଘନୀ ଯେ ଯେ ଘେନି କହୁଥାଇ ତୁମ୍ଭେ ମୋ ନୟନତାରା

 

ଘନସ୍ତନୀର ଘନସାର ଚନ୍ଦନ କଣ୍ଠଗଜ ମୋତିହାର ।

 

ଘୃଣାକ୍ଷରେ ଅବା ଘଟଣଲପନୀ ଏମନ୍ତ ମନେ ଭାଷିଲା

 

ଘନ ବିଜୁଳୀ ସ୍ନେହଛାଇ ପରାୟେ ଏହିଠାରେ ସେ ଦିଶିଲା

।୪।

ନବରସରେ ଯେ ରସିକ ନୁହଇ ସେହି ନାଶ ଯାଇବେଳେ

 

ନବସୁଧାକର ଆଦର ଯେମନ୍ତ ନଥାଇ ସର୍ବଦା କାଳେ

 

ନାହିଁ ଇଚ୍ଛୁ ରସୁଁ ସଂସାରେ ମଧୁର ପାକେ ସେ ହୁଅଇ ପିତା

 

ନାଗରୀରତନ ନୟନ ପ୍ରତିମା ପ୍ରତ୍ୟକ୍ଷେ ଏବେ କଲା

।୫।

 

ଭାବାର୍ଥ- (୧-୫) ଶ୍ରୀକୃଷ୍ଣ ଦିନେ ଦୂତୀର ହାତ ଧରି ବିନୟ ସହକାରେ କହିଲେ- କେଉଁ କାରଣରୁ ମୋ ଉପରେ ଜୀବେଶ୍ୱରୀ ରାଧା ରାଗିଛି ? ମୋର କି ଦୋଷ ? କାରଣ ନ ଥାଇ ପ୍ରଭୁ ଦୋଷ କଲେ ସେଥିକୁ ଉପାୟ ନାହିଁ । କେବଳ ଏତିକି ମୂର୍ଖଟିଏ କବିତା ବୁଝିଲା ପରି ଏହା ହୋଇଛି ? କ୍ଷୀଣୋଦରୀ, ଖଞ୍ଜରୀଟ ନୟନୀ ସେ । ସ୍ନେହ କିନ୍ତୁ ବଜ୍ର ସମାନ । ଖଳ ଲୋକର ପ୍ରୀତି କପଟତାପୂର୍ଣ୍ଣ । ଘଡ଼ି ଘଡ଼ିକେ ତା’ ସୁଖ କଥା ମନେ ପକାଇଲେ ଭୟ ଲାଗୁଛି । ଏହାର କାରଣ ଖୋଜିଲେ ମୋତେ ବୁଦ୍ଧି ଦିଶୁନାହିଁ । ଗଜଗମନୀ ପ୍ରିୟା ମୋରିଠାରେ ଏମିତି ମାନ ଦିନଟିଏ ବି କରି ନ ଥିଲା । ଶୁଣୁଛି, ମୋ ନାଁ’ରେ ତାକୁ କିଏ କ’ଣ କହିଛି । ମୋ ପ୍ରିୟଭାଷୀକୁ ଏତକ ଗୁପ୍ତରେ କହିବୁ । ସ୍ନେହ ପର୍ବତର ସଖୀ ପ୍ରାୟ ନଦୀ ତୁ ।

 

ସବୁବେଳେ ସେ ମୋତେ କହୁଥାଏ । ‘ତୁମେ ମୋ ନୟନ ତାରା’ । ତା’ କଣ୍ଠରେ ମୋତିହାର, ଦେହରେ କର୍ପୂର ଚନ୍ଦନର ବାସନା । ଅଥବା ସେ ଘୃଣାକ୍ଷରରେ ମୋତେ କିଛି କହିଲା-। ମେଘ କୋଳରେ ବିଜୁଳି ସ୍ନେହ ଛାଇ ପ୍ରାୟ ସେ ମୋତେ ଦିଶୁଛି । ନବରସରେ ଯିଏ ରସିକ ନୁହେଁ, ସେ ନାଶ ଯାଇଥାଏ । ଯେମିତି ସବୁକାଳରେ ସୁଧାକରର ଆଦର ରହି ନ ଥାଏ । ମଧୁର ପାକରେ ପ୍ରସ୍ତୁତ ରସ ପିତା ହେଲାଭଳି, ନାଗରୀ ରତନ ଏପରି କାମ କଲା ।

 

ଚାରୁ ଚାମୀକର ଚମ୍ପକବରନା କାଲି ଏହି ବାଟେ ଗଲା

 

ଚନ୍ଦ୍ର ଅବତଂସ ନନ୍ଦନ ଜନମ ତିଥି ଚନ୍ଦ୍ର ମୋତେ କଲା

 

ଚିତ୍ତେ ଚିତ୍ତୋଇ ସେ ତୁରିତ ମୋହୋଇ ଅଙ୍ଗ ହେଉଛି ଅବଶ

 

ଚକ୍ଷୁ ପଲକ ଯେ ଏହି ନ ପାରଇ ସେ କଲା ଏଡ଼େ ନିରାଶ

।୬।

 

 

ଛାଡ଼ି ନଯାଇ ରହିଛି ଛାର ଜୀବ କହିବାକୁ ପୁଣି ଏହା

 

କ୍ଷଣେ ଦେଖି ଯାହା ଶୁଣି ହିଁ ନଥିଲା ଭୂଷଣ କଲାଣି ତାହା

 

ଛାଇ ଅନୁରୂପେ ଭଜିଲେ ତାହାର ହୃଦୟ ନୋହିଲା ଜାଣି

 

ଛିଡ଼ିଲା ବକା କୁସୁମ ପୁଷ୍ପ ପ୍ରାୟେ ହେଲା ସେ ରମଣୀମଣି

।୭।

 

 

ଯେତେ ଭରସା ଥିଲା ତାର ତହିଁକି ଦୟା ଜଳନିଧି ବୋଲି

 

ଜାଣିତ ହୋଇଲା ଏହିଠାରେ ସବୁ ଯାହାର ଯେମନ୍ତ ଚାଲି

 

ଜଳରେ କୁମୁଦ ଗଗନେ ଚନ୍ଦ୍ରମା ଦୂରୁ ଦେଖି ହୋଏ ସୁଖୀ

 

ଜୀବ ପରମ ପ୍ରାୟେ ପ୍ରାଣବନ୍ଧୁ ନିକଟେ ଥିଲେ ନ ଦେଖି

।୮।

 

 

ଝଳି ଗଉରୀ ଶ୍ରୀମୁଖଚନ୍ଦ୍ର ଠାରୁ ହସି ଅନାଇବା ଯାଏ

 

ଝିମିଟେ ମନ ନୟନ ଛାଡ଼ୁନାହିଁ ରତନ ଝଟକ ପ୍ରାୟେ

 

ଝସ କେତନ କେଳି ଚିନ୍ତାମଣି କି ଲଭି ହେଲି ଚିନ୍ତାମଣି

 

ଝଡ଼ଇ ନାହିଁ ଦରିଦ୍ରତା ଭଣ୍ଡାର ନିକଟରେ ଥିଲେ ସେ ପୁଣି

।୯।

 

 

ନୀରଜ ନୟନୀ ଅନେକ ଯତନେ ଘେନି ହେଳେ କଲା ଦୂର

 

ନିଶ୍ଚେ ଜାଣି ହେଲା ଭାବବତୀ ଭାବ କୁସୁମ ଗଭା ପ୍ରକାର

 

ନଯିବ ମୋହୋର ମନରୁ ସେ କଥା ଯେତେ ସୁଦୟା ସେ କଲେ

 

ନାଶଇ କି ପୂର୍ବ ସନ୍ତାପ ବହୁତ ଦିନ ଚିରକାଳ କଲେ

।୧୦।

 

 

ଟେକ ଯେ ଟେକସ୍ତନୀ କି ମୁଁ ଭଜିଲି ଟାଣ ମନସିଜ ଭୟେ

 

ଟିକାଏ ସେ ମନୁ ନ ଟଳିଲା ମୋର ହରମାଳିକା ପରାୟେ

 

ଟଙ୍କଧର ରିପୁ ଟୋପେ ପଡ଼ି ଏବେ ହେଳେ ହୋଇଅଛି ହତ

 

ଟାଣମୃଗାରି ମୃଗ ମୁଖେ ପଡ଼ିଲେ ଯେମନ୍ତ ମହା ଗର୍ବିତ

।୧୧।

 

ଭାବାର୍ଥ- (୬-୧୧) ରେ ଦୂତ, ଗଲାକାଲି ଚାରୁ ଚମ୍ପକବରନା ଏହି ବାଟରେ ଗଲା । ମୋତେ ଆଦୌ ଚାହିଁଲା ନାହିଁ । ମୋ ଅଙ୍ଗ ଅବଶ ହେଲା । ଯିଏ ଚକ୍ଷୁର ପଲକ ସହି ପାରୁନାହିଁ, ସେ ମୋତେ ଏମିତି ନିରାଶକଲା, ମୁଁ ଭାବି ପାରୁନାହିଁ । ଏହା ପୁଣି କହିବାକୁ ଛାର ଏ ଜୀବନ ରହିଛି। କ୍ଷଣେ ଦେଖି ଯାହା ଶୁଣି ନ ଥିଲା, ତା’ର ଗତି ଏବେ ଜଣାଉଛି । ଛାଇ ପରି ତା’ ପଛରେ ଲାଗିଛି ଅଥଚ ତା’ର ହୃଦୟରେ କ’ଣ ଅଛି ଜାଣି ହେଉନାହିଁ । ଛିଣ୍ଡା ଫୁଲ ପରି ସେ ରମଣୀମଣି ହେଲା । ଦୟାନିଧି ବୋଲି ତାକୁ ଭାବିଥିଲି ଓ ତା’ ଉପରେ ସେଥିପାଇଁ ଭରସା ଥିଲା । ଏବେ କିନ୍ତୁ ଏହିଠାରେ ଜାଣିଦେଲି, ଯାହାର ଯେମିତି ପ୍ରକୃତି ।

 

ଏଣେ ଜଳ ମଧ୍ୟରେ କୁମୁଦ, ତେଣେ ଆକାଶରେ ଚନ୍ଦ୍ର । ଏତେ ଦୂରରେ ଥାଇ ମଧ୍ୟ ପରସ୍ପରକୁ ଦେଖି ଖୁସି ହୁଅନ୍ତି । ସେମିତି ଜୀବ ପରମ ମଧ୍ୟରେ ଅଭେଦ ସଂପର୍କ । ଦୁହେଁ ଦୁହିଁଙ୍କୁ ନିକଟରେ ନ ଦେଖିଲେ ଖୁସି ହୋଇପାରନ୍ତି ନାହିଁ । ସେ ମୋତେ ହସି ଚାହିଁବା ଯାଏଁ, ଅଳ୍ପ ସମୟ ପାଇଁ ମଧ୍ୟ ମୋ ମନ ନୟନ ତାକୁ ଭୁଲି ପାରୁନାହିଁ । ସେ ମୋ ପାଖରେ ଥିଲେ ମଧ୍ୟ ଭଣ୍ଡାର ପାଖରେ ଦରିଦ୍ରତା ଥିଲା ପରି ଅବସ୍ଥା ହୋଇଛି । ସେ ନୀରଜ ନୟନୀ ମୋ ଠାରୁ ଦୂରେଇ ରହୁଛି-। ସେ ଯେତେ ସୁଦୟା କଲେ ମଧ୍ୟ ଏ କଥା ମୋ ମନରୁ ଯିବ ନାହିଁ । ଅନେକ ଦିନ ବିତିଗଲେ ମଧ୍ୟ ପୂର୍ବ ସନ୍ତାପ କ’ଣ ନାଶ ଯାଏ କି ? କନ୍ଦର୍ପର ଭୟରେ ମୋ ଟାଣପଣ ଭାଙ୍ଗିଗଲା-। ସେ କିନ୍ତୁ ଟିକିଏ ମଧ୍ୟ ଟଳୁନାହିଁ। ଯେମିତି ମୃଗ ବାଘ ମୁଖରେ ପଡ଼ିଲେ ହୁଏ, ସେମିତି ଏବେ ଟଙ୍କଧର ରିପୁ ଅର୍ଥାତ୍ କନ୍ଦର୍ପ ଟୋପରେ ପଡ଼ି ମୃତ୍ୟୁ ଲାଭ କରିଛି ।

 

ଠାକୁରାଣୀ ପଣ ଏହିଠାରୁ ତାର ଜାଣିମାକୁ ହେଲା ସଖୀ

 

ଠାଠିକ କରି ଯାହାଦୋଷ ନକହି ରୋଷ କଲା ଚନ୍ଦ୍ରମୁଖୀ

 

ଠାକୁରହୋଇ ଠାବ କଲା କହିଲେ ସବୁରି ସେ ସନମତି

 

ଠିକ ଲୋକଙ୍କର କରେ ରଙ୍ଗ ଥିଲେ ଭ୍ରମେ ବୋଲାଏ ରଜତ

।୧୨।

 

 

ଡରୁଥାଇ ତାର ମୁଖ ମଳିନକୁ ତାମ୍ବୁଳୀ ତାମ୍ବୁଳ ପ୍ରାୟେ

 

ଡରୁଡରୁଦେଖ ଦଇବ କଷଣ କଲା କାମ ଡକାଯାଏ

 

ଡୋଳା ଡାଳିମ୍ବ ବୀଜଦନ୍ତୀ ପରାୟେ ଡମ୍ବରୁ ମଝାକୁ କହ

 

ଡୋଳେ ଦେଖୁଦେଖୁ ଡାକଇତ ପ୍ରାୟେ ଅତିହିଁ ଦାରୁଣ ନୁହ

।୧୩।

 

 

ଢଗ ମେଲିବ ଆଗ ଏହା ଶୁଣିଲେ ଏହି ଗୋପବଧୂମାନେ

 

ଢାଙ୍କୁଣୀ ଫିଟିଲେ ଫେଇଧରି କରି ଉଭାରଇ ଫଣୀ ଯେହ୍ନେ

 

ଢାଳି ନୟନେ ଯେ କହୁଥାଇ ବନ୍ଧୁ ଏକ ଜୀବ ବେନି କାୟେ

 

ଢାଳେଣ ଜାଣିଲି କୃପଣ ଲୋଭିକି ଆଶା ଦେଖାଇଲା ପ୍ରାୟେ

।୧୪।

 

 

ଆଉ ଅଧିକ କି କହିବି ସଜନୀ, ଦିନେ ଚନ୍ଦ୍ରରଜନୀରେ

 

ଅଙ୍କେ ମୋର ଶୋଇ ଅନ୍ତର ମଣିଲୁ ପୁଲକ ଘେନାଘେନିରେ

 

ଏବେ ଦଇବ ବଳରେ ସେ ସ୍ନେହ ନିଊନ ଦିଶିଲା ଏଡ଼େ

 

ଅବନୀବତୀର ମହାସ୍ନେହଯେହ୍ନେ ପ୍ରକାଶିଲା କାନ୍ଥବାଡ଼େ

।୧୫।

 

ଭାବାର୍ଥ- (୧୨-୧୫) ରେ ସଖୀ, ତା’ର ଠାକୁରାଣୀ ପଣ ଏହିସବୁ ଗୁଣରୁ ଜାଣିଲି । ଓଲଟି ତା’ ଦୋଷ କଥା ନ କହି ମୋ ଉପରେ ରାଗୁଛି । ଠାକୁର ହୋଇ ଠାବ କଲା କହିଲେ ସମସ୍ତେ ଏହାକୁ ସମ୍ମତି ଜଣାନ୍ତି, ଅପରପକ୍ଷରେ କେତେକ ଲୋକ ହାତରେ ରଙ୍ଗ ଥିଲେ ଭୁଲରେ ରୂପା ବୋଲି କହିଥା’ନ୍ତି । ପାନରାକୁ ଦେଖି ପାନପତ୍ର ଡରିଲା ପ୍ରାୟ ତା’ର ମୁଖ ମଣ୍ଡଳକୁ ଦେଖି ମନରେ ଭୟ ପାଉଛି । ଡରୁଡରୁ କନ୍ଦର୍ପ ଆସିବା ପୂର୍ବରୁ ଦଇବ ଦଣ୍ଡ ଦେଲା । ଡାଳିମ୍ବବୀଜ ଦନ୍ତୀ କ୍ଷୀଣକଟୀକୁ କହିବୁ, ଦେଖୁ ଦେଖୁ ଡକାୟତଙ୍କ ଭଳି ଅତି ନିଷ୍ଠୁର ହେବ ନାହିଁ ।

 

ସାପପେଡ଼ି ଖୋଲିଲେ ସାପ ଯେମିତି ଫଣା ଟେକେ, ସେମିତି ଏହାକୁ ଶୁଣିଲେ ଗୋପବଧୂମାନେ ଢଗ ମେଲିବେ । ଆଖିରେ ସେ ସର୍ବଦା କହୁଥିଲା ଦୁଇଟା ସିନା ଶରୀର; କିନ୍ତୁ ଜୀବ ଏକ । କୃପଣ ଲୋଭୀକୁ ଆଶା ଦେଖାଇବା ପରି ମୋତେ ଲୋଭ ଦେଖାଉଛି । ରେ ସଜନି, ତୋତେ ଆଉ ଅଧିକ କ’ଣ କହିବି ? ଦିନେ ଚନ୍ଦ୍ରରଜନୀରେ ମୋ କୋଳରେ ଶୋଇଥିଲା । ଦୁହେଁ ପୁଲକିତ ହୋଇଥିଲୁ । ଦଇବ ବଳରେ ଏବେ ସେ ସ୍ନେହ କ’ଣ ଏଡ଼େ ନିଊନ ଦିଶିଲା ? ତା’ର ସ୍ନେହଶ୍ରଦ୍ଧା ଯେମିତି ନିଷ୍ଠୁର ହୋଇଗଲା ।

 

ତ୍ରିପୁର ସୁନ୍ଦରୀ ତପନୀୟଗୋରୀ ହୃଦର ପଦକ ମୋର

 

ତାହାବିନୁ ତପସିଦ୍ଧ ଯୋଗୀ ପ୍ରାୟେ ବିଷୟ କଲି ଅନ୍ତର

 

ତୁଙ୍ଗସ୍ତନୀ ଯେ ଅଙ୍ଗହାର ପରାୟେ କରିଛି ମୋତେ ସଙ୍ଗରୁ

 

ତୁ ତାହାର ମନ ଘେନାଇ କହ ଯେ ହାର ପ୍ରାୟେ ମୋତେ କରୁ

।୧୬।

 

 

ଥିର ଗମନୀ ବିମନ ହୋଇବାରୁ ଥୟେ ନୋହେ ମୋର ମନ

 

ଥିର ନୋହେ ଯେହ୍ନେ ଘନେ ଘନଲତା ବନଜ ପଲ୍ଲବେ ବନ

 

ଥିର ମଣ୍ଡନୀ ମଣ୍ଡନ ଥାଉଁ ଯେବେ ମୋହୋର ହେଲା ଏ ଦଶା

 

ଥୁନି ନିତମ୍ବାକୁ କହିବ ଏବେହେଁ ହେଲାନି ନିଧନ ଦଶା

।୧୭।

 

 

ଦ୍ୱିରଦ ଗମନୀ ଦ୍ୱିଜରାଜ ମୁଖୀ ଦୟାଅଦୟା ଅଦୃଶେ

 

ଦହି ହେଉଛି ଦାରୁଣ ଅବିବେକ ଦୁଆର ଭିକ୍ଷୁକ ଆସେ

 

ଦୂରୁ ଦେଖିଲେ ଦେବତାଙ୍କୁ ଚାହିଁବା ଦିଅଇ ନରମାନଙ୍କୁ

 

ଦେବତାଙ୍କୁ ଚିତ୍ର ପ୍ରତିମା କରଇ ଏ ନିତି ବିଚିତ୍ର ତାଙ୍କୁ

।୧୮।

 

 

ଧରଣୀରେ ମୀନ ଜୀବନ ପରାୟେ ଧାତା ତାକୁ ମୋତେ କଲା

 

ଧରିଛି କେବଳ ତା ବିନୁ ଶରୀର ନୁହଇ ଏ ଚିତ୍ତ ଭଲା

 

ଧ୍ୱଂସି ଦେଲେ କାମ ଅନଳେ ମୋ ଦୁଃଖ ନ ଘେନିଲା ପ୍ରାଣମଣି

 

ଧ୍ରୁବ ଏକଥା ବ୍ୟାଧିବନ୍ତ ଆରତ ବୈଦ୍ୟଠାରୁ ନାହିଁ ଶୁଣି

।୧୯।

 

 

ନାଗରୀରତନ ଅନ୍ତପଟ ଅନ୍ତ ନୃତ୍ୟକାରୀ ପ୍ରାୟେ ହୋଇ

 

ନୟନ ମନକୁ ଉତ୍ସାହ କରିଛି ଦର୍ଶନ ସୁଖ ନ ଦେଇ

 

ନବଘନକୁ ଚାତକପକ୍ଷୀ ପ୍ରାୟେ ତାହାକୁ ମୋହୋର ଆଶା

 

ନିଶ୍ଚୟେ ଯେବେ ସେ ନିରାଶ କରିବ ତେବେ ମୋ ନିଧନ ଦଶା

।୨୦।

 

 

ପ୍ରାଣପ୍ରିୟା ଦୟା-ଜଳନିଧି ହୋଇ ପ୍ରମାଦ ମୋଠାରେ କଲା

 

ପଶୁପତି ରିପୁସନ୍ତାପ ଅନଳେ ପକାଇ ଅଲଗା ହେଲା

 

ପ୍ରାଣବାନ୍ଧବୀ ପରିତ୍ରାଣ ନ କଲେ ନିଶ୍ଚେ ଜୀବ ଯିବ ଜଳି

 

ପଙ୍କଜକର ଦରଶନେ ଯେମନ୍ତେ ଫୁଟିଲା ଗଙ୍ଗଶିଉଳୀ

।୨୧।

 

ଭାବାର୍ଥ- (୧୬-୨୧) ରେ ଦୂତି, ତ୍ରିପୁରସୁନ୍ଦରୀ ସେ, ହୃଦୟପଦକ ମୋର । ତା’ ବିନା ମୁଁ ତପସିଦ୍ଧ ଯୋଗୀ ପରି ସଂସାର ବିଷୟକୁ ତ୍ୟାଗ କରିଦେଲି । ମୋତେ ସେ ଅଙ୍ଗହାର କରିବାରୁ ଦୂରେଇ ଦେଇଛି । ତୁ ତା’ର ମନକୁ ବୁଝାଇ କହ, ସେ ମୋତେ ହାର ପ୍ରାୟ କରିବ । ଧୀର ଗମନୀ ସେ । ମୋ ପ୍ରତି ବିମନ ହୋଇଛି । ତେଣୁ ମୋ ମନ ଥୟ ଧରୁନାହିଁ । ମେଘ କୋଳରେ ବିଜୁଳି, ପଦ୍ମପତ୍ରରେ ଜଳ ସ୍ଥିର ରହିଲା ପରି ସେ ହେଉଛି । ତା’ରି ପାଇଁ ମୋର ଏପରି ଦଶା ହେଲା । ତାକୁ କହିବ, ଏବେଠୁଁ ମୋର ମରଣ ଯୋଗ ଆସିଗଲାଣି । ଗଜଗମନୀ ଯୋଗୁଁ ସର୍ବଦା ମୁଁ ଦହି ହେଉଛି । ଦାରୁଣ ଅବିବେକ ଭିକ୍ଷୁକ ହୋଇ ଦୁଆରକୁ ଆସୁଛି । ଦେବତାଙ୍କୁ ଦୂରରୁ ଦେଖିଲେ ତାଙ୍କୁ ନ ଦେଖାଇ ମଣିଷକୁ ଦେଖାଉଛି । ଦେବଗଣଙ୍କୁ ଚିତ୍ର ପ୍ରତିମା ନିତି କରୁଛି ।

 

ସଂସାରରେ ଆମ ଦୁହିଁଙ୍କୁ ବିଧାତା ମାଛ-ଜଳ କରିଛି । ତା’ ବିନା ଏ ଜୀବନ ଖାଲି ଖାଲି ଲାଗୁଛୁ । ଶରୀର ସିନା ଧରିଛି, ମନ ଭାଙ୍ଗିଯାଇଛି । କାମାନଳରେ ମୁଁ ଧ୍ୱଂସ ପାଇବାରେ ଲାଗିଛି, ମୋ ଦୁଃଖ କିନ୍ତୁ ପ୍ରାଣମଣି ବୁଝୁନାହିଁ । ଏହା ସତ୍ୟ ଯେ, ଏହିଭଳି ବ୍ୟାଧିଦୁଃଖ ବଡ଼ ଯନ୍ତ୍ରଣା, ବୈଦ୍ୟଠାରୁ ଏହା କେବେ ଶୁଣି ନାହିଁ । ନାଗରୀରତ୍ନ ଅନ୍ତଃନୃତ୍ୟକାରିଣୀ ପ୍ରାୟ ହୋଇ ମୋ ନୟନ-ମନକୁ ଦର୍ଶନ ସୁଖ ନ ଦେଇ ଉତ୍ସାହିତ କରିଛି । ନୂତନ ମେଘକୁ ଚାତକପକ୍ଷୀ ଚାହିଁ ରହିଲା ଭଳି ମୁଁ ତାକୁ ଚାହିଁ ବସିଛି । ସିଏ ଯଦି ମୋତେ ନିରାଶ କରିବ ତେବେ ମୋ ମରଣ ନିଶ୍ଚିତ। ମୋର ପ୍ରାଣପ୍ରିୟା ଦୟାର ସାଗର ହୋଇ ମୋ ପ୍ରତି ଏମିତି ଖରାପ ଆଚରଣ କରୁଛି । କନ୍ଦର୍ପର ଦୁଃଖକୁ ଅଗ୍ନିରେ ପକାଇ ମୋ ଠାରୁ ଅଲଗା ହେଲା । ଗଙ୍ଗଶିଉଳି ଫୁଟି ଝଡ଼ି ପଡ଼ିଲା ପରି ମୋ ପ୍ରାଣବାନ୍ଧବୀ ମୋତେ ରକ୍ଷା ନ କଲେ ନିଶ୍ଚୟ ଏ ଜୀବନ ଚାଲିଯିବ ।

 

ଫାଇ କାଳକୁ ମୁଁ ଫନ୍ଦାକରିଥିଲି ଫୁଲ କମଳ ନେତ୍ରୀକି

 

ଫଳଥାଉଁ ମୂଳ ଭୋଗତ ହେଉଛି ଫୁଲ ବିଶିଖ ଘଡ଼ିକି

 

ଫେଡ଼ି କହିବି କାହାକୁ ଏ ବେଦନା ଫେଡ଼ିବ କେ ମୋର ଦୁଃଖ

 

ଫୁଲ ବାହାରେ ଆନ ନିକି ଫୁରୁଣା କରିପାରେ ଶିଳୀମୁଖ

।୨୨।

 

 

ବିଧୁବଦନୀ ବିନୁ ବୁଦ୍ଧି ଚନ୍ଦ୍ରମା ଛନ୍ଦନ ବିଧୁର କରେ

 

ବାଳିଶ ନାଗର ପଣ୍ଡିତ ପରାୟେ ବୁଲିଲେ ଦିନ ନସରେ

 

ବିକିଦେଲା ଦାସ ଜନଠାରେ ରୋଷ ଯେବେ କଲା ରସବତୀ

 

ଜାତି ରହିବ ବୋହି ପ୍ରାୟେ ତେବେ ମୋହୋର ଆଉ କି ଗତି

।୨୩।

 

 

ଭରସା କେବଳ ତୋହଠାରେ ତାକୁ କହିବୁ ମୋ ଦୁଃଖ ଘେନି

 

ଭାଗ୍ୟଥିଲେ ସେ ଭବରିପୁ ତାପରୁ ତାରିବ ମନମୋହିନୀ

 

ଭାବିନୀ ମୋତେ ସତେ ଭିନ୍ନ କରିବ ଭାରାନ୍ତି ନକରି କିଛି

 

ଭାବନିଧି ଠାରେ କରପ୍ରାୟେ ହୋଇ ଦ୍ରବ୍ୟ କଠିନତା ଅଛି

।୨୪।

 

 

ମନ୍ଦିର ନୟନୀ ଘେନାଘେନି ଭାବ ଅମୃତ କ୍ଷୀର ସମାନ

 

ମରାଳ କେତନ ମାନସ ମଦନ ପ୍ରାୟେ କଲା ଭିନ୍ନାଭିନ୍ନ

 

ମେଘଚନ୍ଦ୍ରବିନୁ ଚାତକ ଚକୋର ଜିଅନ୍ତି ଆନ ଉପାୟେ

 

ମହୀମଣ୍ଡନୀ ମୋର ପୁଣି ଏମନ୍ତ ମଧୁକର ମଧୁ ପ୍ରାୟେ

।୨୫।

 

 

ଜାଣୁମଣି ମୋତେ ଗୁରୁକାମ ହେଲା କାମଦେବ ବାମ କରେ

 

ଯାହା ସେ ଲଘୁରେ ଲଘୁ କରାଇଲା ଆଲୋକିତ ସେ ଲୋକରେ

 

ଜାଣିଥିଲି ତାର ହୃଦ ଅନୁରାଗ ଶାଳିକା ଫୁଲ ପରାୟେ

 

ଜାଣୁ ଜାଣୁ ଏବେ ଗଲା ସେ ସ୍ଫଟିକ ସଙ୍ଗତେ ତୁଳିବା ପ୍ରାୟେ

।୨୬।

 

ଭାବାର୍ଥ- (୨୨-୨୬) ପଦ୍ମନେତ୍ରୀକୁ ପାଇବା ପାଇଁ ଅନେକ କାଳରୁ ଫନ୍ଦା କରିଛି । ଫଳ ଥାଉଁଣୁ ଗଛର ମୂଳ କଟିଯାଉଛି, ଫୁଲ ଶର ବିନ୍ଧୁଛି । କାହାକୁ ଏ ବେଦନା ଖୋଲି କହିବି ? କିଏ ବା ମୋ ଦୁଃଖ ଶୁଣିବ ? ଫୁଲବାହାରେ ଭ୍ରମର (ଶିଳୀମୁଖ) କ’ଣ ଆନନ୍ଦ (ଫୁରୁଣା) ପାଇପାରେ ? ଚନ୍ଦ୍ରବଦନୀ (ବିଧୁବଦନୀ) ବିନା ମୂର୍ଖ ନାଗର ପଣ୍ଡିତ ପ୍ରାୟ ବୁଲିଲେ ଦିନ ସରେ ନାହିଁ । ଯେବେ ରସବତୀ ବିକି ଦେଲା ଦାସ ଠାରେ କୋପ କଲା, ତେବେ ମୋର ଆଉ କି ଗତି ଅଛି ? ଏବେ ତୁ ହିଁ ମୋର ଭରସା । ତାକୁ ମୋ ଦୁଃଖ କହିବୁ । ଭାଗ୍ୟରେ ଥିଲେ ଏ ତାପରୁ ମନମୋହିନୀ ଉଦ୍ଧାର କରିବ । ମୋ କଥା ସତରେ ପ୍ରିୟା ମନକୁ ନେବ ? ଭାବିନଧିଠାରେ କର ପ୍ରାୟ ହୋଇ କଠିନ ଦ୍ରବ୍ୟ ଅଛି । ପ୍ରିୟାର ଭାବ ଅମୃତ କ୍ଷୀର ସମାନ; ମାତ୍ର ଏବେ ମୋତେ ଭିନ୍ନାଭିନ୍ନ କରୁଛି । ମେଘ, ଚନ୍ଦ୍ର ବିନା ଚକୋର ଚକୋରୀର ଗତି ଯେମିତି ହୋଇଥାଏ, ମହୀମଣ୍ଡନ ପ୍ରିୟା ସହିତ ମୋର ମଧୁକର (ଭ୍ରମର) ଓ ମଧୁର ପରି ସମ୍ପର୍କ ସେମିତି ହୋଇଛି । ପ୍ରିୟାର ଅନ୍ତର, ତା’ର ହୃଦୟରେ ଅନୁରାଗ ଶାଳିକାଫୁଲ ପ୍ରାୟ । ଜାଣୁ ଜାଣୁ ସେ ଏବେ ସ୍ଫଟିକ ସଙ୍ଗରେ ମିଳିଗଲା-

 

ରଙ୍ଗେଣ ଘେନିଲେ ସେବତୀ ଦୁର୍ଲଭ ନୋହେ ବିଷାଦେ

 

ରମଣୀମଣି ସେହିମତି ସରାଗ ରଖି ରାଗ କରେ ଖେଦେ

 

ରଙ୍କ ରତନ ପାଇଲା ପ୍ରାୟେ ହୋଇ ମୁଖୁଁ ନ ଆସଇ ଭାଷା

 

ରଖିଥିଲା ନିକି ମୋହ ପାଇଁ ବିହି ରଥାଙ୍ଗ ରଜନୀ ଦଶା

।୨୭।

 

 

ଲେଶେ ତାର ମୋର ଅନ୍ତର ନଥିଲା ପଲକ ଯେମନ୍ତ

 

ଲୋକନାଥ ବଶେ ଏ ଶେଷ ହୋଇଲା ଆକାଶ କୁସୁମବନ୍ତ

 

ଲୋଚନ ଶ୍ରବଣ ମଣ୍ଡନ ଖଣ୍ଡନ କରିବେ ସତେ ବିଷାଦ

 

ଲମ୍ବ ଉଦରକୁ ଲକ୍ଷେ ଲଡ଼ୁଦେବି ସେଯେବେ ହେବ ପ୍ରସାରି

।୨୮।

 

 

ବାଇପ୍ରାୟେ ହୋଇଥିଲେ ପ୍ରତି ଛନ୍ଦୁ ଯେମନ୍ତ ବର୍ଣ୍ଣ ଦିଶଇ

 

ବିଧୁ ବଦନୀ ସେହିମତି ଅନ୍ତରେ ଥିଲେ ନେତ୍ର ବିକାଶଇ

 

ବହୁତ ସୁଖ ହୋଇ ଇନ୍ଦ୍ରପଦବୀ ସ୍ୱପନେ ପାଇଲା ପ୍ରାୟେ

 

ବାଞ୍ଛାଧନ ପ୍ରାୟେ ସେଠାକୁ ନ ଆସେ ହୃଦକୁ କରାଇ କ୍ଷୟେ

।୨୯।

 

 

ସବୁ ଅନୁଭବ ଏହିଠାରୁ ହେଲା ଶଶୀମୁଖୀ ମହିମାରୁ

 

ଶୁଭଦାୟିନୀ ସନ୍ତୋଷ ହୋଇ ଏବେ ପାଶେ ନେଇ ଦାସ କରୁ

 

ସ୍ୱରୂପ ସର୍ପକୁ ପୟ ଦେଲା ପ୍ରାୟେ କନ୍ଦର୍ପକୁ ଦେଲା ଜୟେ

 

ସରୁହୋଇ ଦୁଇ ଆଡ଼କୁ କାଟଇ ଶଙ୍ଖାରି କରତ ପ୍ରାୟେ

।୩୦।

 

ଭାବାର୍ଥ- (୨୭-୩୦) ରେ ଦୂତି, ସୁଖ-ଦୁଃଖକୁ ନେଇ ସୁଲଭ-ଦୁର୍ଲଭ ପ୍ରାୟ ହୋଇଥାଏ । ଆନନ୍ଦ ମନରେ ସେବତୀକୁ ଧରିଲେ ତାହା ଦୁର୍ଲଭ ନା ଆନନ୍ଦ ବର୍ଦ୍ଧକ। ବିଷାଦ ମନରେ ଧରିଲେ ତାହା ସୁଲଭ ହୋଇ ନ ଥାଏ ବା ଦୁଃଖର କାରଣ ହୋଇଥାଏ । ସେ ରମଣୀମଣି ସେହିପରି ହୃଦୟରେ ସରାଗ ରଖି ବାହାରେ ରାଗ କରୁଛି । ରଙ୍କ ରତ୍ନ ପାଇଲା ପ୍ରାୟ ହେବାରୁ ତା’ ମୁଖକୁ ଭାଷା ଆସୁନାହିଁ । ସେ ମୋ ପାଇଁ ଚକୋରଚକୋରୀ ରାତିରେ ଯେଉଁ ଦଶା ଭୋଗୁଛନ୍ତି, ସେମିତି କରିଛି । ନେତ୍ର ପଲକ ନ ପଡ଼ିଲା ଭଳି ତା’ର ମୋର ଲେଶେମାତ୍ର ଅନ୍ତର ନ ଥିଲା । ଲୋକନାଥଙ୍କ ଦୟାରୁ ଏହା ଶେଷ ହେଲା । ଏ ବିଷାଦକୁ ସତେ କ’ଣ ଖଣ୍ଡନ କରିବେ । ମୁଁ ଯଦି ତାକୁ ପାଇବି, ତେବେ ଗଣେଶଙ୍କୁ ଲକ୍ଷେ ଲଡ଼ୁ ଦେବି । ବାୟା ପ୍ରାୟ ହୋଇଥିଲେ ଯେମିତି ଆଖିକୁ ପ୍ରତିଛନ୍ଦରୁ ବର୍ଣ୍ଣ ଦିଶୁଥାଏ; ସେମିତି ଚନ୍ଦ୍ରବଦନୀ ଅନ୍ତରରେ ଥାଇ ଆଖିରେ ନାଚୁଛି । ବହୁତ ସୁଖରେ ଥାଇ ଇନ୍ଦ୍ରପଦବୀ ସ୍ୱପ୍ନରେ ପାଇଲା ପ୍ରାୟ ସେ ବାଞ୍ଛାଧନ ସେଠାକୁ ଆସୁନାହିଁ। ହୃଦୟ କ୍ଷୟ ହୋଇଯାଉଛି ।

ଚନ୍ଦ୍ରମୁଖୀ ମହିମାରୁ ଏହିଠାରେ ହିଁ ସବୁ ଅନୁଭବ ଆରମ୍ଭ ହେଲା । ମୁଁ ଭାବୁଛି, ଶୁଭଦାୟିନୀ ପ୍ରିୟା ସନ୍ତୁଷ୍ଟ ହୋଇ ମୋତେ ପାଖକୁ ନେବ ଓ ଦାସ କରିବ । ସର୍ପକୁ କ୍ଷୀର ଦେଲା ଭଳି ସେ କନ୍ଦର୍ପକୁ ଜୟ କରାଇଛି । କାଚକୁ ଶଙ୍ଖାରି କରତରେ କାଟିଲା ପ୍ରାୟ ସରୁ ହୋଇ ଦୁଇ ଆଡ଼କୁ କାଟୁଛି ।

ଶମନଶମନ ସମ ଅଦାଳୁତା ତାହାଠାରେ କି ବିନୟେ

 

ଶମ୍ଭୁ ଜଳରେ ତାହାକୁ ନାଶଇଟି ଲୋହ ପାଷାଣ ପରାୟେ

 

ସମଗ୍ର ତୋତେ କେତେ ପୁଣ କହିବି ତୁତ ସବୁ ଗୁଣ ସୀମା

 

ସଭାସଦ ପ୍ରାୟେ ଉଚିତ କହିତୁ ମୋଦୋଷ କରାଅ କ୍ଷମା

।୩୧।

ସଜନୀ ତୋତେ ସେ ଦେଖିଲେ ପଥେ ଯେ ହୋଇବ ପୁଷ୍ପ ସମାନ

 

ସବୁଅର୍ଥେ ଅନୁରାଗ ପୂର୍ଣ୍ଣକରି ସୁଖେ ପ୍ରକାଶିବ ଆନ

 

ସେହି ସମୟରୁ ପଛ କରିଣ ତୁ କହିବୁ ମୋର ସନ୍ଦେଶ

 

ସୁଜନ ସାଧୁ ଉପଦେଶ ପାଇଲା ପରାୟେ ହେବ ସନ୍ତୋଷ

।୩୨।

ହରିଣନୟନୀ ପୟପେଟୀ ପ୍ରାୟେ ବାହାରକୁ ସେ କର୍କଶ

 

ହୃଦୟଯାକ ପରିପୂର୍ଣ୍ଣ ହୋଇଛି ସୁମଧୁର ଘନରସ

 

ହଂସ ଗମନୀ ପାଶକୁ ତୋ ସଙ୍ଗତେ ମନକୁ ସମର୍ପି ଦେଇ

 

ହୃଦୟ ଶୂନ୍ୟ ହୋଇ ରହି ଅଛିଟି ସଙ୍ଗ ସହର୍ଷିକୁ ବିହି

।୩୩।

କ୍ଷମେ ଛଳ ମୁଁ ଏହି କୁଞ୍ଜେ ରହିଲି ତୋହେ ଆସିବାକୁ ଚାହିଁ

 

କ୍ଷୋଭ ରହିତ ପକ୍ଷୀ ପରାୟେ ଗୋତ୍ର ଆକୃତି ଦଶାକୁ ବିହି

 

ଛଛନ୍ଦ ହୋଇ ଦୂତୀ ବେଗେ ଚଳିଲା କ୍ଷିତିମଣ୍ଡନାକୁ ରଖି

 

କ୍ଷୀଣମତି ଦୀନକୃଷ୍ଣ କହେ ଯେହ୍ନେ ଆନନ୍ଦ ବଶରେ ଭୋଗୀ

।୩୪।

 

ଭାବାର୍ଥ- (୩୧-୩୪) ଯମ ପାଖରେ ଦୟାଳୁ ପଣ କୁଆଡ଼ୁ ଆସିବ ? ତା’ ପାଖରେ ବିନୟ ଭାବର ମୂଲ୍ୟ ନାହିଁ । ଲୁହା, ପାଷାଣ ପରି ତା’ ହୃଦୟ । ସବୁ କଥା ତୋତେ କେତେ କହିବି-? ତୁ ତ ସବୁ ଜାଣୁ । ସଭାସଦ ପ୍ରାୟ ଉଚିତ କଥା କହି, ମୋ ଦୋଷକୁ କ୍ଷମା କରାଇବୁ । ରେ ସଜନି, ତୋତେ ବାଟରେ ଦେଖିଲେ ଫୁଲପରି କୋମଳ ହୋଇଯିବ । ସ୍ନେହ ପୂର୍ଣ୍ଣ ଅନ୍ତରରେ ତୋ ସହିତ କଥା ହେବ । ସବୁ କଥାକୁ ପଛରେ ପକାଇ ମୋର ସବୁ ସନ୍ଦେଶ ତାକୁ ଜଣାଇବୁ । ସାଧୁଙ୍କର ଉପଦେଶ ପାଇଲା ପରେ ସୁଜନ ସନ୍ତୋଷ ଲାଭ କଲା ପରି ସେ ହେବ ।

 

ହରିଣନୟନୀ (ପୟପେଟୀ) ପଇଡ଼ପ୍ରାୟ ବାହାରକୁ କର୍କଶ ସିନା ହୃଦୟଟା ସୁମଧୁର ଘନରସରେ ପରିପୂର୍ଣ୍ଣ । ତୋ ସଙ୍ଗରେ ମୋ ମନକୁ ନେଇ ହଂସଗାମିନୀ ପାଖକୁ ଯିବୁ । ମୁଁ ଏବେ ହୃଦୟଶୂନ୍ୟ ହୋଇ ରହିଛି । ତୁ ସେଠାକୁ ଯାଇ ଫେରିଆସିବା ଯାଏଁ, ମୁଁ ଏହି କୁଞ୍ଜରେ ଅପେକ୍ଷା କରି ରହିଲି । କୃଷ୍ଣଙ୍କଠାରୁ ଏହା ଶୁଣି କ୍ଷୋଭଶୂନ୍ୟ ପକ୍ଷୀ ପ୍ରାୟେ ଦୂତୀ ସ୍ୱଚ୍ଛନ୍ଦ ହୋଇ ରାଧାଙ୍କ ପାଖକୁ ଶୀଘ୍ର ଚଳିଗଲା । କବି ଦୀନକୃଷ୍ଣ ଆନନ୍ଦ ମନରେ ଏହି ଗୀତ କଲେ ।

Image